ବନ୍ଧୁ

ବନ୍ଧୁ - ରୁଦ୍ର ନାରାୟଣ ସାହୁ  

ବନ୍ଧୁର ବନ୍ଧୁତା ବହୁ ନିବିଡ଼ତା

ବନ୍ଧ ହୀନ ଏ ସମ୍ପର୍କ ।

ବନ୍ଧୁତାର ମୂଲ୍ୟ ହୀରାଠୁ ଅମୁଲ୍ୟ

ସବୁ ଭାବରୁ ଏକକ ।।


ବନ୍ଧୁର ବନ୍ଧୁତ୍ୱ ହୁଏ ତ୍ୱରାନ୍ନିତ  

ସ୍ୱାର୍ଥକୁ ଆଡେଇ ଦେଲେ ।

ରହେ ଚିର ଦିନ ନହୋଇ ଅକ୍ଷୁଣ୍ଣ

ବୁଝାମଣ| ମଧ୍ୟେ ଥିଲେ ।।


ସେନେହ ଶରଧା ସାହାଯ୍ୟରେ ବନ୍ଧା

ବନ୍ଧୁତ୍ୱର ମାପ କାଠି ।

ସୁଖରେ ଦୁଃଖରେ ହାତ ସେ ପ୍ରସାରେ

ନିଜ ସ୍ୱାର୍ଥ ଭୁଲି ସେଠି ।।


ଜାତି ଧର୍ମ ବର୍ଣ ଉଚ୍ଚ ନୀଚ୍ଚ ମନ

ରହେନି ବନ୍ଧୁ ଆଗରେ ।

ଭାବେ ଆତ୍ମୀୟତା ଚାହେଁ ଉତ୍ତମତା 

ଦୁଃଖ ନ ଦିଏ ମନରେ ।।


ଆତ୍ମାକୁ ତୁମର ବୁଝେ ସେ ନିଜର

ଛାୟା ପରି ରହେ ସାଥେ ।

ଅଜାଣତେ ସିଏ କଣ୍ଟାକୁ ଘୁଞ୍ଚାଏ

ଶାନ୍ତି ଭରେ ଚଲା ପଥେ ।।


ସ୍ୱାର୍ଥପର ବନ୍ଧୁ ପ୍ରେମ ତାର ବିନ୍ଦୁ 

ଦେଖାଏ ସେ ସିଂଧୁ ପରି ।

ସ୍ୱାର୍ଥ ସଲା ପରେ ମାରନ୍ତି ଗୋଡରେ

ଛାଡି ଯା'ନ୍ତି ପର କରି ।।


ସମ୍ପର୍କ ଗଢନ୍ତି ସ୍ୱାର୍ଥକୁ ଦେଖନ୍ତି

ବନ୍ଧୁର ଛଳନା କରି ।

ଏ ପରି ବନ୍ଧୁର ବନ୍ଧୁତ୍ୱକୁ ଡର

ରୁହ ତାକୁ ପର କରି ।।



ବରମୁଣ୍ଡା ସାହି, ଶିଆରିମାଳିଆ

ପାଳଲହଡା, ଅନୁଗୁଳ

Post a Comment

Post a Comment (0)

Previous Post Next Post
Free Shubhdristi App Download Now