ଓଡ଼ିଶାରେ କ୍ରୀଡା ବିଶ୍ୱବିଦ୍ୟାଳୟ ଆବଶ୍ୟକତା

ଓଡ଼ିଶାରେ କ୍ରୀଡା ବିଶ୍ୱବିଦ୍ୟାଳୟ ଆବଶ୍ୟକତା - ପ୍ରତ୍ୟୁଷ ଦେବାଶିଷ 



ସାଉଥ ଆଫ୍ରିକାର ପୂର୍ବତନ ରାଷ୍ଟ୍ରପତି ନେଲସନ ମଣ୍ଡେଲା ଉଲ୍ଲେଖ କରିଥିଲେ, " ସମଗ୍ର ବିଶ୍ୱକୁ ପରିବର୍ତ୍ତନ କରିବାର କ୍ଷମତା କ୍ରୀଡା ପାଖରେ ହିଁ ଅଛି। ସାଧାରଣ ଜନତା ମାନଙ୍କ ମନରେ ଉତ୍ସାହ ସହ ଏକତା ଭରିବା ପାଇଁ ଏହି ଖେଳକୁଦ ନିହାତି ଆବଶ୍ୟକ। ଏହା ଯୁବକମାନଙ୍କୁ ନିଜ ଭାଷା ପରି ଅନୁଭବ ହୁଏ। ଏହା ସେମାନଙ୍କ ମନରେ ଏକ ଆଶା ଓ ଆକାଂକ୍ଷା ଭରିଦିଏ।" ପ୍ରକୃତରେ, ଏହି କଥା ପଦକ ଉଭୟ ମାନସିକ ଓ ଶାରୀରିକ ସ୍ତରରେ ସାମାଜିକ ସ୍ଥିରତା ଆଣିବାରେ ସକ୍ଷମ ହୋଇଥାଏ। ଉଦାହରଣ ସ୍ୱରୂପ, ଛୋଟ ଛୋଟ ଶିଶୁ ଯେଉଁ ସମୟରେ ବିଦ୍ୟାଳୟର ପ୍ରାରମ୍ଭିକ ସ୍ତରରେ ପ୍ରବେଶ କରନ୍ତି, ସେହି ସମୟରେ ଶିଶୁମାନଙ୍କୁ ଏକ ପରିବେଶ ଶୃଙ୍ଖଳା ଭିତରେ ତୋଳିବା ପାଇଁ ଏହି ଖେଳକୁଦର ହିଁ ସାହାଯ୍ଯ ଲୋଡ଼ା ଯାଏ।


ଏହି ଖେଳକୁଦ କେବଳ ଏକ ବିରତି ସମୟର ମନୋରଞ୍ଜନରେ ସୀମିତ ନ ରହି ପାଲଟି ଯାଇଛି ଜୀବନ ଜୀବିକା ବଞ୍ଚିବାର ଏକ ବିରାଟ ଦ୍ରୁମ। ଏହି ଦ୍ରୁମ ତଳେ ଅନେକ ପ୍ରାପ୍ତି କରିଛନ୍ତି ଯଶ-ଖ୍ୟାତି ତଥା ନିଜ ଦେଶ ଓ ରାଜ୍ଯ ପାଇଁ ଆଣିଛନ୍ତି ଗର୍ବ ଓ ଗୌରବ।


ଆଜି ସମଗ୍ର ବିଶ୍ଵ ଆଗରେ ଆମେ କ୍ରୀଡାର ମାଇଲଖୁଣ୍ଟ ହୋଇ ଠିଆ ହୋଇଛୁ। ଭାରତୀୟ ହକି ଦଳ ପ୍ରୟୋଜନ ଦେଇ ସମଗ୍ର ଦେଶ ପାଇଁ ପ୍ରେରଣାର ଉତ୍ସ ହେଇଛୁ। ଏହି ବର୍ଷ ଅଲିମ୍ପିକ ଖେଳରେ ଭାରତୀୟ ହକି ଦଳ କାଂସ୍ୟ ପଦକ ଆଣି ତ୍ରିରଙ୍ଗା ପତାକା ଉଡ଼ାଉଥିବା ସମୟରେ ଖାସ୍ କରି ପ୍ରତ୍ୟେକ ଓଡ଼ିଆଙ୍କ ଆଖି ସାମାନ୍ୟ ଲୁହରେ ସିକ୍ତ ହୋଇଥିଲା।


ବର୍ତ୍ତମାନ ସମୟର ଆହ୍ଵାନ ପରି ଆଉ ଏକ ପ୍ରଶ୍ନ ମନରେ ଉଙ୍କିମାରୁଛି। କ୍ରୀଡ଼ାରେ ବିକାଶର ଗତି ତ୍ୱରାନ୍ୱିତ ହେଉଥିବା ସମୟରେ କେବଳ କଣ କ୍ରୀଡାବିତମାନଙ୍କ ଉପରେ ଧ୍ୟାନ ଦେଇ ଆନୁସଙ୍ଗିକ ପ୍ରକ୍ରିୟା ଉପରେ ଆମେ ନଜର ଦେଉଛେ? ଏହି ପ୍ରଶ୍ନର ଉତ୍ତର ସ୍ଵରୂପ କହି ରଖିବାକୁ ଚାହେଁ ଯେ, କ୍ରୀଡାବିତମାନଙ୍କ ସ୍ୱାସ୍ଥ୍ୟ ତଥା ଉଚ୍ଚ ସ୍ଥରର ପ୍ରଶିକ୍ଷଣ ପାଇଁ ଆମକୁ ଅନେକ ସମୟରେ ଅନ୍ୟ ଦେଶ କିମ୍ବା ଅନ୍ୟ ଦେଶରୁ କ୍ରୀଡା କ୍ଷେତ୍ରର ବ୍ୟକ୍ତିବିଶେଷଙ୍କୁ ଉଚ୍ଚ ଖର୍ଚ୍ଚ ଦେଇ ନିର୍ଭର ହେବାକୁ ପଡ଼େ। ଏହି ଗୁରୁତ୍ୱପୂର୍ଣ୍ଣ ସମୟରେ କଣ ଓଡ଼ିଶା ମାଟିରେ ଏକ ଉଚ୍ଚକୋଟୀର କ୍ରୀଡ଼ା ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରିବାର ଆବଶ୍ୟକତା ରହିଛି କି?


ପୂର୍ବରୁ କେନ୍ଦ୍ର ସରକାରଙ୍କ ପ୍ରୟାସରେ ମଣିପୁର ଠାରେ ରାଷ୍ଟ୍ରୀୟ କ୍ରୀଡ଼ା ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ହୋଇଛି। ୨୦୨୮ ମସିହାରେ ପ୍ରତିଷ୍ଠା ହୋଇଥିବା ଏହି ବିଶ୍ୱବିଦ୍ୟାଳୟ କ୍ରୀଡାବିତ ମାନଙ୍କ ସାମଗ୍ରିକ ବିକାଶ ପାଇଁ ମନସ୍ତତ୍ଵ ବିଭାଗ ଓ ପୋଷଣ ବିଭାଗରେ ଅଧ୍ୟୟନ ପାଇଁ ଉଭୟ ସ୍ନାତକ ଓ ସ୍ନାତକୋତ୍ତର ଉପାଧି ପ୍ରଦାନ କରାଯାଉଛି। ଏହି ବିଶ୍ୱବିଦ୍ୟାଳୟ ଆନ୍ତର୍ଜାତୀୟ ସ୍ତରରେ ଅନେକ ବିଶ୍ୱବିଦ୍ୟାଳୟ ସହ ଚୁକ୍ତି ସ୍ୱାକ୍ଷର କରିଛନ୍ତି। କାନ୍‌ବେରା ତଥା ଭିକ୍ଟୋରିଆ ବିଶ୍ୱବିଦ୍ୟାଳୟ ଏହି ଚୁକ୍ତିନାମା ସହ ଅନୁବନ୍ଧିତ। ପୁନଶ୍ଚ, କିଛି ମାସ ପୂର୍ବରୁ କର୍ଣାଟକ ସରକାର ଏକ କ୍ରୀଡା ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରିବା ପାଇଁ କେନ୍ଦ୍ରଠାରୁ ସହଯୋଗ ଲୋଡିଛନ୍ତି। ବେଙ୍ଗାଲୁରୁରେ ଏହି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରିବା ପାଇଁ ୧୦୦ ଏକର ଜମି ଚିହ୍ନଟ କରାଯାଇଅଛି। ଏହି ବିଶ୍ୱବିଦ୍ୟାଳୟରେ କେବଳ କ୍ରୀଡ଼ା ନୁହଁ ଡାକ୍ତରୀ ଶିକ୍ଷା, ପୋଷଣ ବିଶେଷଜ୍ଞ ତଥା କ୍ରୀଡ଼ା ପରାମର୍ଶକ ଅଧ୍ୟୟନର ସାଧନ ଓ ବ୍ଯବସ୍ଥା ଯୋଗାଇ ଦିଆଯିବ। ଉପରୋକ୍ତ ଉଦାହରଣକୁ ତର୍ଜ୍ଜମା କଲେ ଓଡ଼ିଶାରେ ମଧ୍ଯ ଏକ କ୍ରୀଡ଼ା ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରିବାର ପ୍ରଚୁର ଆବଶ୍ୟକତା ରହିଛି। ଏହି ବିଶ୍ୱବିଦ୍ୟାଳୟ କାର୍ଯ୍ଯକ୍ଷମ ହେଲେ କେବଳ ଓଡ଼ିଶା ନୁହଁ ବରଂ ପୂର୍ବ ଭାରତର କ୍ରୀଡ଼ା କ୍ଷେତ୍ରରେ ବିକାଶ ପରିବ୍ୟାପ୍ତ ହୋଇ ପାରିବ। ପୂର୍ବରୁ ଅନେକ ବିଶ୍ୱବିଦ୍ୟାଳୟ ଓଡ଼ିଶାରେ ପ୍ରତିଷ୍ଠା ଲାଭ କରି ଶିକ୍ଷା ଯୋଗାଇ ଆସୁଛି। ଉଦାହରଣ ସ୍ୱରୂପ, ସ୍ୱାସ୍ଥ୍ୟ କ୍ଷେତ୍ରରେ ଏମ୍ସ, ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ଆଇ ଆଇ ଟି - ଭୁବନେଶ୍ବର, ନାଇଜର - ଭୁବନେଶ୍ବର, କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ - କୋରାପୁଟ।


ଏହି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରିବାର ଆଉ ଏକ ଦିଗ ପ୍ରତି ଧ୍ୟାନ ଆକର୍ଷଣ କରୁଛି। ସାଧାରଣତଃ ଏକ ସାଧାରଣ ପରିବାରରେ ବିଦ୍ୟାର୍ଥୀଟିଏ ଡାକ୍ତର କିମ୍ବା ଯନ୍ତ୍ରୀ ହେବାକୁ ଇଚ୍ଛା ପ୍ରକାଶ କଲେ ଏକ ପଥ ସୁସ୍ପଷ୍ଟ ଦେଖାଯାଏ, ପରନ୍ତୁ, ଜଣେ ବିଦ୍ୟାର୍ଥୀ ଯଦି କ୍ରୀଡା ସଂଲଗ୍ନ କ୍ଷେତ୍ରରେ ଆଗକୁ ବଢିବାକୁ ଚାହେଁ ସେ କେଉଁ ରାସ୍ତାରେ ନିଜ ଯାତ୍ରା ଆରମ୍ଭ କରିବ ତାହା ଅତ୍ୟନ୍ତ ଜଟିଳ ବିଷୟ ହୋଇଥାଏ। ଏହି ବିଶ୍ୱବିଦ୍ୟାଳୟର କାର୍ଯ୍ୟଧାରା ବିଦ୍ୟାଳୟ ଓ ଉଚ୍ଚବିଦ୍ୟାଳୟମାନଙ୍କ ସହ ଅନୁବନ୍ଧିତ କାର୍ଯ୍ୟକ୍ରମ ଆୟୋଜନ ହେବାର ଆବଶ୍ୟକତା ରହିଛି। ଥରେ ସଚେତନ ନାଗରିକ ରୂପରେ ଚିନ୍ତା କରି ଦେଖନ୍ତୁ କେବଳ କ୍ରୀଡା ଓ ପ୍ରଶିକ୍ଷଣକୁ ଗୁରୁତ୍ଵ ଦେଇ ଆଜି ଓଡ଼ିଶା ଦେଶର କ୍ରୀଡ଼ା ରାଜଧାନୀ ଆଖ୍ୟା ପାଇବା ଅଭିମୁଖେ ଏବଂ ସାମ୍ପ୍ରତିକ ସମୟରେ ଯଦି ଓଡ଼ିଶାରେ କ୍ରୀଡା ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ହୋଇପାରିବ କେବଳ କ୍ରୀଡ଼ା କାହିଁକି କ୍ରୀଡ଼ା ସଂଲଗ୍ନ ସମସ୍ତ କ୍ଷେତ୍ରରେ ଓଡ଼ିଶା ସୁନାର ଓଡ଼ିଶା ହୋଇପାରିବ।

Post a Comment

Post a Comment (0)

Previous Post Next Post
Free Shubhdristi App Download Now